ରାୟଗଡ଼ା ଜିଲ୍ଲା ପେଣ୍ଟା ବଏଜ୍ ହଷ୍ଟେଲ ପରିସରରେ ଛାତ୍ରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟି-ରଗିଂ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧ ସମ୍ପର୍କିତ ସଚେତନତା ଏବଂ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହଷ୍ଟେଲର ୮୪ ଜଣ ଆବାସିକ ଛାତ୍ର ଏହି କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉତ୍ସାହ ଓ ସକ୍ରିୟ ଭାବେ ଯୋଗଦେଇଥିଲେ।ଛାତ୍ରାବାସ ମଧ୍ୟରେ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ରଗିଂର ଭୟାବହ କୁପରିଣାମ ବିଷୟରେ ଛାତ୍ରମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ରଗିଂ ଭଳି ଏକ ଅନୁଚିତ ଓ ଆଇନଗତ ଅପରାଧଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ପାଇଁ ଛାତ୍ରମାନଙ୍କୁ କଡ଼ା ପରାମର୍ଶ ଦିଆଯାଇଥିଲା। ଏହା ସହିତ ନିଜର ସହପାଠୀ, ଶିକ୍ଷକ ଏବଂ ହଷ୍ଟେଲର ସମସ୍ତ କର୍ମଚାରୀଙ୍କ ପ୍ରତି ସର୍ବଦା ସମ୍ମାନଜନକ ଆଚରଣ ପ୍ରଦର୍ଶନ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା।ଦୈନନ୍ଦିନ ଜୀବନରେ ଶୃଙ୍ଖଳା, ସଦାଚାର, ଦାୟିତ୍ୱବୋଧ ଏବଂ ଉଚ୍ଚ ନୈତିକ ମୂଲ୍ୟବୋଧ ଅବଲମ୍ବନ କରିବା ଦ୍ୱାରା ଜଣେ ଛାତ୍ର କିପରି ସମାଜରେ ଜଣେ ଆଦର୍ଶ ନାଗରିକ ହୋଇପାରିବ, ସେ ସମ୍ପର୍କରେ ଅତିଥିମାନେମାନେ ମତବ୍ୟକ୍ତ କରିଥିଲେ। ଶୃଙ୍ଖଳିତ ଜୀବନଶୈଳୀ କେବଳ ଛାତ୍ରଙ୍କ ଚରିତ୍ର ଗଠନ କରିଥାଏ ତାହା ନୁହେଁ, ବରଂ ତାଙ୍କ ଭବିଷ୍ୟତକୁ ମଧ୍ୟ ଅଧିକ ସୁଦୃଢ଼ ଓ ସଫଳ କରିଥାଏ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ରାୟଗଡ଼ା ଏସ୍ଡିପିଓ, ଚନ୍ଦିଳି ଥାନା ଆଇଆଇସି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଛୁଆନ, ଆଇନଗତ ପ୍ରୋବେସନ ଅଧିକାରୀ ନିରାକାର ପାଢ଼ୀ, ପ୍ରୋଟେକ୍ସନ ଅଧିକାରୀ ମନୋରଞ୍ଜନ ବାଗ, ଡବ୍ଲୁଇଓ ମନୋରଞ୍ଜନ ରାଉତ, ‘ମୋ ସ୍କୁଲ’ ସଭାପତି ଉଦୟ ହୀମିରିକା ଏବଂ ହଷ୍ଟେଲ ଉପ-ଅଧୀକ୍ଷକ ଦିନେଶ ବିଷୀ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ସହକାରୀ ଶିକ୍ଷକ ତୁଷାର କୁମାର ଚୁରା ଓ ସୁରେଶ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏଭଳି ସଚେତନତାମୂଳକ ପଦକ୍ଷେପ ଆଗାମୀ ଦିନରେ ଛାତ୍ରମାନଙ୍କ ମଧ୍ୟରେ ଶୃଙ୍ଖଳା, ଦାୟିତ୍ୱବୋଧ ଏବଂ ପରସ୍ପର ପ୍ରତି ସମ୍ମାନର ଭାବନାକୁ ଆହୁରି ବୃଦ୍ଧି କରିବ। ଏହାଦ୍ୱାରା ହଷ୍ଟେଲ ପରିସରରେ ଏକ ନିରାପଦ ଏବଂ ଅନୁକୂଳ ଶୈକ୍ଷିକ ପରିବେଶ ଗଠନ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।



Leave a Reply