BREAKING
ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା ବିଦ୍ୟୁତ ମଣ୍ଡଳରେ ନୂଆ ପଦାଧିକାରୀ ନିର୍ବାଚନ, ପୁନର୍ବାର ସହକାରୀ ସାଧାରଣ ସମ୍ପାଦକ ହେଲେ ମହମ୍ମଦ ରଜିଉଲ୍ଲା
ରାୟଗଡା

ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର

Spread the love

ଜନସ୍ୱାର୍ଥ ସମ୍ବଳିତ ଖବର ପ୍ରକାଶ କରିବାକୁ ନେଇ ସାମ୍ବାଦିକଙ୍କୁ ଧମକ ଦେବା, ଖବର ସଂଗ୍ରହ ସମୟରେ ବାଧା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ଘଟଣାକୁ ନେଇ ରାୟଗଡରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଘଟଣାଗୁଡ଼ିକର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ପ୍ରେସ୍‌ ଆଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ୍‌, ରାୟଗଡ ବୃନ୍ଦ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋସନାର ବାର୍ଲାଙ୍କୁ ପ୍ରଦାନ କରାଯାଇଛି। ଏଥିରେ ପ୍ରାୟ ୫୦ ଜଣ କାର୍ଯ୍ୟରତ ସାମ୍ବାଦିକ ସାମିଲ ହୋଇ ନ୍ୟାୟ ପ୍ରଦାନ ଦିଗରେ ଆଲୋଚନା କରିଥିଲେ। ପରେ ସାମ୍ବାଦିକମାନେ ରାୟଗଡ ପୌର କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆବର୍ଜନା ପରିଚାଳନା ସମ୍ପର୍କିତ ଅଭିଯୋଗ ଓ ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଗତ ୯ ଅକ୍ଟୋବରରେ ‘ସମ୍ବାଦ’ ଖବରକାଗଜରେ ରାୟଗଡ ପୌରାଞ୍ଚଳର ଆବର୍ଜନା ଡମ୍ପିଂ ୟାର୍ଡରେ ଚାଲିଥିବା କାର୍ଯ୍ୟ ଓ କଥିତ ଅନିୟମିତତା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ଆବର୍ଜନାର ଉପଯୁକ୍ତ ପ୍ରକ୍ରିୟାକରଣ ନକରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ନେଇ ଖବରରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏହା ପୂର୍ବରୁ ଡମ୍ପିଂ ୟାର୍ଡରେ ନିଆଁ ଲାଗି ଆବର୍ଜନା ନଷ୍ଟ ହେବା ଘଟଣାକୁ ନେଇ ସାମ୍ବାଦିକ କେ. ଶିବପ୍ରସାଦ ଦୋରାଙ୍କ ଦ୍ୱାରା ମଧ୍ୟ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଆବର୍ଜନା ପରିଚାଳନା ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ସରକାରୀ ନିୟମ ଅନୁପାଳନ ହୋଇଛି କି ନାହିଁ, ତାହାର ତଦନ୍ତ କରିବାକୁ ସଂଘ ଦାବି କରିଛି। ସ୍ମାରକପତ୍ର ଅନୁଯାୟୀ, ଖବର ପ୍ରକାଶ ପାଇବା ପରେ ଉକ୍ତ ପ୍ରକଳ୍ପ ସହ ସମ୍ପୃକ୍ତ ଠିକାଦାର ଖବର ପ୍ରକାଶ କରିଥିବା ସାମ୍ବାଦିକମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଠିକାଦାର ଏହି କାର୍ଯ୍ୟକୁ କୃଷ୍ଣ ଚନ୍ଦ୍ର ପୃଷ୍ଟି ଓରଫ କୁସିଆ ନାମକ ଜଣେ ଉପଠିକାଦାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସାମ୍ବାଦିକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତାରେ ଦେଖିଲେ ମାଡ଼ ମାରିବା ଓ ଖବର ପ୍ରକାଶ କରିଥିବା ସାମ୍ବାଦିକଙ୍କ ହାତ ଭାଙ୍ଗିଦେବା ଭଳି ଧମକ ଦିଆଯାଇଥିବା ଫୋନ୍ ବାର୍ତ୍ତାଳାପରେ ଶୁଣିବାକୁ ମିଳିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ସମ୍ପର୍କିତ ଫୋନ୍ ବାର୍ତ୍ତାଳାପର ରେକର୍ଡିଂ ସଂରକ୍ଷିତ ରଖାଯାଇଥିବା ଏବଂ ଆବଶ୍ୟକ ସ୍ଥଳେ ତଦନ୍ତ ପାଇଁ ତାହା ଦାଖଲ କରାଯିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି, ଗତ ୧୦ ଅକ୍ଟୋବରରେ କେତେକ ସାମ୍ବାଦିକ ଡମ୍ପିଂ ୟାର୍ଡକୁ ଯାଇ ସେଠାକାର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରିବା ସହ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ସମୟରେ କେତେକ ବ୍ୟକ୍ତି ସେମାନଙ୍କ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ମୋବାଇଲ୍ ଫୋନ୍ ଓ କ୍ୟାମେରା ଛଡ଼ାଇ ନେବାକୁ ଉଦ୍ୟମ କରିବା ସହ ଏହି ପ୍ରସଙ୍ଗରେ ଆଉ ଖବର ପ୍ରକାଶ ନକରିବାକୁ ଧମକ ଦିଆଯାଇଥିବା ସଂଘ ଦର୍ଶାଇଛି। ଏହା ବ୍ୟତୀତ, ଗତ ୩ ଅକ୍ଟୋବରରେ ‘ସମାଜ’ ଖବରକାଗଜ ପାଇଁ ଖବର ସଂଗ୍ରହ କରିବା ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରରେ କଥିତ ଅନିୟମିତତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ବିଜୟ ମହାରଣାଙ୍କୁ ଗତ ୫ ଅକ୍ଟୋବରରେ ଅଙ୍ଗନବାଡ଼ି କର୍ମୀମାନେ ସଂଘବଦ୍ଧ ଭାବେ ଘେରିବା ସହ ଖବର ପ୍ରକାଶ ନକରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ବିଭାଗୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ପୂର୍ବରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି। ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜରେ ଘଟୁଥିବା ଅନିୟମିତତା, ଦୁର୍ନୀତି ଓ ସରକାରୀ ଅର୍ଥର ଅପବ୍ୟବହାର ସମ୍ପର୍କରେ ତଥ୍ୟଭିତ୍ତିକ ଖବର ପ୍ରକାଶ କରିଥାନ୍ତି। ଏପରି ସ୍ଥିତିରେ ସାମ୍ବାଦିକଙ୍କୁ ଧମକ ଦେବା ଓ ଖବର ସଂଗ୍ରହରେ ବାଧା ସୃଷ୍ଟି କରିବା ଜନସ୍ୱାର୍ଥ ସମ୍ବଳିତ ଖବର ପ୍ରକାଶନକୁ ପ୍ରଭାବିତ କରିବା ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ସ୍ମାରକପତ୍ରରେ ଘଟଣାଗୁଡ଼ିକର ନିରପେକ୍ଷ ତଦନ୍ତ, ଧମକ ଦେଇଥିବା ଠିକାଦାର, ଉପଠିକାଦାର ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ, ଫୋନ୍ ବାର୍ତ୍ତାଳାପର ରେକର୍ଡିଂ ଓ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ, ପ୍ରଭାବିତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ ଏବଂ ଡମ୍ପିଂ ୟାର୍ଡରେ ଆବର୍ଜନା ପରିଚାଳନା ସମ୍ପର୍କିତ ଅଭିଯୋଗର ବିଭାଗୀୟ ତଦନ୍ତ ପାଇଁ ଦାବି କରାଯାଇଛି। ସାମ୍ବାଦିକମାନେ ଭୟମୁକ୍ତ ଭାବେ ନିଜର ବୃତ୍ତିଗତ ଦାୟିତ୍ୱ ତୁଲାଇବା ଓ ଜନସ୍ୱାର୍ଥ ସମ୍ବଳିତ ଖବର ପ୍ରକାଶ କରିବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସଂଘ ଦାବି ଜଣାଇଛି।

Leave a Reply

Your email address will not be published. Required fields are marked *