ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ରାୟଗଡ଼ା ସହରରେ ମହାସମାରୋହରେ ଜଲସା ଆୟୋଜିତ ହୋଇଛି। ରାୟଗଡ଼ା ମୁସଲିମ୍ ଆସୋସିଏସନ୍ ଏବଂ ବିଭିନ୍ନ ମସଜିଦ୍ କମିଟିର ମିଳିତ ସହଯୋଗରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି। ପ୍ରାୟ ୩୦ ବର୍ଷ ଧରି ପରମ୍ପରା ଓ ଶ୍ରଦ୍ଧାର ସହ ଏହି ଜଲସା ଆୟୋଜିତ ହୋଇଆସୁଛି।ସଂଗଠନର ସଭାପତି ସୈୟଦ ଅଜିଜ୍ ଭାଇଙ୍କ ସୂଚନା ଅନୁଯାୟୀ, ସମସ୍ତ ଜାମାତର ସହଯୋଗରେ ଚଳିତ ବର୍ଷ ମଧ୍ୟ ଜଲସାର ଆୟୋଜନ କରାଯାଇଛି। ଏଥିରେ ହାଇଦ୍ରାବାଦ ଓ ଉତ୍ତରପ୍ରଦେଶରୁ ଆସିଥିବା ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଇସଲାମ ଧର୍ମ, କୋରାନ ଏବଂ ପୟଗମ୍ବର ହଜରତ ମହମ୍ମଦଙ୍କ ଜୀବନୀ ଓ ଶିକ୍ଷା ଉପରେ ପ୍ରବଚନ ଦେଇଥିଲେ।ଅନ୍ୟପଟେ, ରାୟଗଡ଼ା ସହରର ବୁଦ୍ରାଭଲସା ରୋଡ୍ରେ ମଧ୍ୟ ରଜା କମିଟି, ବୁଦ୍ରାଭଲସା ପକ୍ଷରୁ ଜସନ୍ ଈଦ୍ ମିଲାଦ-ଉନ୍-ନବୀ ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ଶତାଧିକ ମୁସଲିମ ସମ୍ପ୍ରଦାୟର ଲୋକ ଏକାଠି ହੋଇ ପୟଗମ୍ବରଙ୍କ ଜୀବନୀ, ଆଦର୍ଶ ଓ ମାନବିକତାର ବାର୍ତ୍ତା ଉପରେ ଆଲୋଚନା କରିଥିଲେ। ଦେଶରେ ଶାନ୍ତି, ସମୃଦ୍ଧି ଓ ଭାଇଚାରା ବଜାୟ ରହିବା ପାଇଁ ସାମୂହିକ ଦୁଆ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରଜା କମିଟିର ସଭାପତି ସୟଦ୍ ଅବଦୁଲ୍ ଅଜିଜ୍, ସମ୍ପାଦକ ମହମ୍ମଦ ରିୟାଜୁଦ୍ଦିନ୍, ଉପ-ସଭାପତି ଅବଦୁଲ୍ ଆଫରୋଜ୍ ଖାନ୍ଙ୍କ ସମେତ କମିଟିର ସଦସ୍ୟ ଓ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବହୁ ଲୋକ ଉପସ୍ଥିତ ଥିଲେ। ଏଥିସହ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରୀତିଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଧାର୍ମିକ ଆସ୍ଥା ସହ ଶାନ୍ତି, ଭାଇଚାରା ଓ ସାମାଜିକ ସଦ୍ଭାବର ବାର୍ତ୍ତା ଦେଇ ଏହି ଜଲସା ସମ୍ପନ୍ନ ହୋଇଥିଲା।

Leave a Reply